ଶକ୍ତିରୂପା
ସେ ରୋକି ପାରୁନଥିଲା
ବହୁତ ଦିନୁ ଛାତିରେ ଠୁଳ ହେଇଥିବା
ଦମ୍ଭ, ସାହସ ଆଉ ଶକ୍ତିକୁ
ଠିକ୍ ବାହାରୁଥିବା ଆଗ୍ନେୟଗିରିର ଲାର୍ଭା ଭଳି।ସମୟର ପ୍ରତାଡନାରେ,
ଯୌନ ପିପାସୁ ନର ରାକ୍ଷସର ଶୋଷଣରେ
ଷୋହଳ ବୟସୀ ସର
ଜନ୍ମ ଦେଇଥିଲା ଶିଶୁଟିଏ
ଆଉ ସମାଜ ନାଁ ଦେଇଥିଲା ତା'କୁ
ରଣ୍ଡି, ବିଟପି, ବେଶ୍ୟା ଆଉ ବ୍ୟାଭିଚାରିଣୀ
ଆଉ କେତିନି କେତେ।
ଅଳି ଅର୍ଦ୍ଧଲି ସମ୍ଭାଳୁଥିବା ବୁଆକୁ ହରେଇଲା
ଇଟା ଭାଟିରେ ଦାଦନଗଡର ସର୍ଦ୍ଦାରର ନିର୍ଯାତନାରେ।
ମାଆର ଅଣ୍ଟା ବସି ଯାଉଥିଲା
ଜଣକୁ ହରେଇବାର ଦୁଃଖ ଆଉ ଇଟାର ବୋଝରେ।
ଭାଇ ବର୍ଣ୍ଣମାଳାର ଆକାର ବୁଝିବା ଆଗରୁ
ତା'କୁ ସମାଜ ବୁଝିବାରେ ମଜବୁର୍ କରିଦେଇଥିଲା
ପେଟର ଭୋକ ଆଉ ଦାରିଦ୍ର୍ୟର ଯନ୍ତ୍ରଣା
ଦାଦନ ହେବା ପାଇଁ।
ନିଜେ ସର ଦୁନିଆ କଣ ବୁଝିବା ଆଗରୁ
ବୁଝି ଯାଇଥିଲା ଜୀବନ ଆଉ ସଂଘର୍ଷ କଣ!
ଅନେକ ଦିନର ସଂଘର୍ଷ ପରେ
ଦାଦନଗଡରୁ ମୁକ୍ତି ନେଇ ଫେରିଥିଲା,
ନିଜକୁ ଆବିଷ୍କାର କରିଥିଲା ତା' ନିଜ ମାଟିରେ।
ଏପଟେ ମେଳା ଚାଲିଥିଲା ତା' ଗାଁ ମାଟିରେ
ଆକର୍ଷଣ ଥିଲା ସେ
ଅପବାଦ, ଆହା, ଆଉ ପୁଲା ପୂଳା ଟଙ୍କା ଵୃଷ୍ଟି ସହ
ପାଲଟି ଯାଇଥିଲା ଗୋଟେ ତୀର୍ଥ
ଗରିବୀ, ଦାଦନ, ଭୁକ୍ ଆଉ ସଂଘର୍ଷର।
ଛୁଟି ଥିଲା ତା' ଗାଁ କୁ
ଶହ ଶହ ଲୋକ ଆଉ ଘନ ଘନ ଗାଡ଼ି ଘୋଡ଼ା।
ହେଲେ ସେ ଧିକ୍କାର କରୁଥିଲା
ସିଂହାସନେ ବସି ଘୁଙ୍ଗୁଡ଼ି ମାରୁଥିବା ଜନନେତାଙ୍କୁ।
ଶୁଖି ଯାଇଥିବା ଗଳାରୁ ଜବରଦସ୍ତି ଛେପ ନିକାଲି
ପକାଉଥିଲା
ସରକାରଙ୍କୁ, କର୍ପୋରେଟ'ର ହାତ ବାରିଶି ସାଜିଥିବା ଶାସନ କଳକୁ।
ଥାପ୍ପଡ ଉଠି ଯାଉଥିଲା ତା'ର
ମୂଳ କାରଣକୁ ଖୋଜି ନ ପାରି ତାକୁ
ସାକ୍ଷାତକାର ନେଉଥିବା ସାମ୍ବାଦିକଙ୍କୁ,
ପ୍ରତ୍ୟକ୍ଷ ପରୋକ୍ଷ ଭାବେ ତା' ରକ୍ତ ଆଉ ଜୀବନକୁ
ଚିପୁଡି ଖାଇଥିବା ସମାଜର ହରମଜାଦା ମାନଙ୍କ ଉପରେ।
~ବିଷ୍ଣୁ