No title

 **ବସନ୍ତରେ ଗ୍ରୀଷ୍ମ**

--------------------------
ଦୀର୍ଘ 6 ଦଶନ୍ଧି ପରେ-----
    ଫେରିଥିଲ
ନା ନା 6 ବର୍ଷ ପରେ
ମୋତେ ଲାଗୁଥିଲା 6 ଦଶନ୍ଧି
ବସନ୍ତର ବାସନ୍ତି ସାଜି
ସାଥିରେ ଆଣିଥିଲ ଆଶା ଆକାଂକ୍ଷାର ସମ୍ଭାର
ଖୁସିର ମହକରେ ମହକି
ମହକିତ କରିଥିଲ ମୋ ଜୀବନକୁ।

ରେଳଗାଡିର ଛୁକ୍ ଛୁକ୍ ଶବ୍ଦ ପରି
ଆମ ଜୀବନ ବି ଖୁସିରେ କଟୁଥିଲା
ରେଳଗାଡିର ସମୟ ନିର୍ଘଣ୍ଟ ପରି
ଆମ ଜୀବନଗାଡି ବି ଗତି କରୁଥିଲା।

ହଁ ମନେ ଅଛି ନା
5.45 ରେ ଗାନ୍ଧି ପାର୍କରେ ସମୟ ବିତେଇବା
ସେଇ ଆଲାର୍ମ
ଶତାବ୍ଦୀ ଏକ୍ସପ୍ରେସ ଷ୍ଟେସନରେ ହର୍ଣ୍ଣ ମାରିବା
5.30 ରେ ଅପେକ୍ଷା କରୁଥିଲ
ସେଇ ଷ୍ଟାଚ୍ୟୁ ଛକରେ
ଜଣେ ମଣିଷ ଆଉ ଜଣେ ମଣିଷକୁ।

ହଁ ମନେ ଅଛି ନା
ସେଇ ଜାକମର Wood Cottage
ବୃକ୍ଷସବୁର କଁଅଳିଆ ଡାଳରେ
ମୁଁ ଉଠେଇଥିବା ଫଟୋସବୁ।
ହଁ ସେଇ ଜାକମରେ
ଆମ୍ବ ବଉଳର ବାସ୍ନାରେ ବାସ୍ନାୟିତ ହୋଇ
କହିଥିଲ କି ସୁଗନ୍ଧ !
ମୁଁ ଉତ୍ତରରେ କହିଥିଲି
ତୁମେ ତ ଗୋଟେ ବଉଳ,ସୁଗନ୍ଧର ପସରା
ଅଭିମାନ କରି,
ହାତରେ ଠେଲି ଦେଇ କହିଥିଲ,ପାଗଲ
ମୁଁ ହସିଦେଇ କହିଥିଲି
ହଁ ମୁଁ ପାଗଲ,ତୁମ ପ୍ରେମରେ।

ତୁମକୁ ବୁଲେଇ ନେଇଥିଲି
କଳାହାଣ୍ଡିର କାଶ୍ମୀର
ଚମ୍ପା ଚନ୍ଦନରେ ମହକିତ ଥୁଆମୂଳ ରାମପୁର
ଗାଡିରୁ ଓହ୍ଲେଇବା କ୍ଷଣି ମୋତେ ଭୁଲିଗଲ
ଆଉ ଫେରି ଆସି କଲ ଆଲିଙ୍ଗନ
କାନରେ ଫୁସକିନା କହିଲ ବିଭୋର ହୋଇ
ଆମେ ସବୁଦିନ ଏଠି ରହିଯିବା ??

ହସିଦେଇ କହିଲି,ହଁ ଲୋ ହୃଦୟର ରାଣୀ
ଆମ ବଗିଚାରେ ବି ଫୁଟେଇବା ଚମ୍ପା ଚନ୍ଦନ
ଆଉ ସବୁଦିନ ଖୋସିଦେବି
ତୁମ ଖୋସାରେ ସୁନ୍ଦର ଚମ୍ପାଟେ।

ହଁ ଆଜି
ଶତାବ୍ଦୀ ଏକ୍ସପ୍ରେସର ଆଲାର୍ମ ବି ବାଜୁଛି
ଷ୍ଟେଚ୍ୟୁ ଛକ ବି ଅଛି
ଆଉ ଅଛି ଗାନ୍ଧି ପାର୍କ ବି
ପତ୍ରସବୁ ଝଡି
କଁଅଳିଆ ପତ୍ରସବୁ ସୃଷ୍ଟି  ହେଲେଣି
ସେଇ ଥୁଆମୂଳ ରାମପୁରର
ଚମ୍ପା ଚନ୍ଦନର ବାସ୍ନାସବୁ
ଭୁର୍ ଭୁର୍ ହୋଇ
ଚତୁର୍ଦିଗକୁ ମହକି ଗଲେଣି
ବସନ୍ତ ପାଦ ଦେଇଛି ଏ ମାଟିରେ
ହେଲେ ଆଜି କାଇଁ
ବସନ୍ତରେ ଗ୍ରୀଷ୍ମ ଅନୁଭବ ହୁଏ।

© ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post