ଦାଦନ ସୁନ୍ଦରୀ
(ପ୍ରେରଣା– ସଞ୍ଜୟ କୁମାର ମିଶ୍ରଙ୍କ ଉପନ୍ୟାସ "ଦାଦନ ସୁନ୍ଦରୀ ")
-ବିଷ୍ଣୁ ନାରାୟଣ ମହାନନ୍ଦ
ସେ ରୋକି ପାରୁନଥିଲା
ଛାତିରେ ଠୁଳ ହେଇଥିବା
ଦମ୍ଭ, ସାହସ, ଶକ୍ତି—
ଯେପରି ଆଗ୍ନେୟଗିରିର ଲାଭା
ଫାଟି ବାହାରୁଥିଲା।
ସମୟର ପ୍ରତାଡନା,
ଯୌନପିପାସୁ ରାକ୍ଷସର ଶୋଷଣ—
ଷୋହଳ ବର୍ଷରେ
ତୀର ଜନ୍ମଦେଲା ଶିଶୁ,
ସମାଜ ତାକୁ ଦେଲା ନାମ—
“ରଣ୍ଡି”, “ବେଶ୍ୟା”, “ବିଟପି”
ଆଉ ଅନେକ ଅପଶବ୍ଦ।
ଇଟାଭାଟିର ଧୁଆଁରେ
ଦାଦନ ସର୍ଦାରର ନିର୍ଯାତନାରେ
ହାରିଗଲା ଚାଲିଗଲା ବୁଆ (ବାପା),
ମା’ର ଅଣ୍ଟା ବସିଗଲା
ଜଣକୁ ହରାଇବାର ଦୁଃଖ
ଆଉ ଇଟାର ଭାରରେ।
ଭାଇ—
ବର୍ଣ୍ଣମାଳାର ଆ କାର
ବୁଝିବା ପୂର୍ବରୁ
ବୁଝିଗଲା ସମାଜ,
ପେଟର ଭୋକ,
ଦାରିଦ୍ର୍ୟର ଯନ୍ତ୍ରଣା—
ଦାଦନ ହେବାର ପାଠ।
ସେ—
ଦୁନିଆ କ’ଣ
ବୁଝିବାର ପୂର୍ବରୁ
ବୁଝି ଯାଇଥିଲା
ଜୀବନର ଅର୍ଥ
ଆଉ ସଂଘର୍ଷର କାହାଣୀ।
ବର୍ଷ ତମାମର ସଂଘର୍ଷ ପରେ
ଦାଦନଗଡରୁ ମିଳିଲା ମୁକ୍ତି—
ଫେରିଲା ନିଜ ମାଟିକୁ,
ଆବିଷ୍କାର କଲା ନିଜକୁ।
ଗାଁରେ ମେଳା,
ଆକର୍ଷଣ ପାଲଟି ଥିଲା ସେ—
ଅପବାଦ, “ଆହା”,
ପୁଲାପୁଳା ଟଙ୍କାର ବର୍ଷା।
ଗାଁ ହେଲା ତୀର୍ଥ
ଗରିବୀ, ଦାଦନ,
ଭୋକ ଆଉ ସଂଘର୍ଷର।
ଶହେ ଶହେ ଲୋକ,
ଘନଘନ ଗାଡ଼ି-ଘୋଡ଼ା,
କିନ୍ତୁ ସେ—
ଧିକ୍କାର କଲା
ସିଂହାସନେ ବସି
ଘୁଙ୍ଗୁଡ଼ି ମାରୁଥିବା
ଜନନେତାଙ୍କୁ।
ଶୁଖିଥିବା କଣ୍ଠରୁ
ଛେପ ଛିଙ୍କାରି
ପକାଇଲା —
ସରକାରଙ୍କୁ,
କର୍ପୋରେଟର ହାତ
ବାରିଶି ସାଜିଥିବା
ଶାସନକୁ।
ତା’ର ଥାପ୍ପଡ ଉଠି ଯାଉଥିଲା—
ମୂଳକାରଣ ଖୋଜିନଥିବା
ସାମ୍ବାଦିକଙ୍କୁ,
ଆଉ ସମାଜର ସେଇ
ହରମଜାଦାଙ୍କୁ—
ଯେଉଁମାନେ
ପ୍ରତ୍ୟକ୍ଷ-ପରୋକ୍ଷ
ତା’ର ରକ୍ତ,
ତା’ର ଜୀବନ
ଚିପୁଡ଼ି ଖାଇଥିଲେ।