କୋରାପୁଟର ଅପସରୀ

 ଶୁଣି ଏ ମଣିଷ ମୂର୍ତ୍ତି ପାଲଟି ଗଲା କିଛି କ୍ଷଣ

"କରୋନାର କରାଳ ତାକୁ ନେଇଗଲା ଏ ଦୁନିଆରୁ"

କଣ୍ଠ ବାଷ୍ପରୁଦ୍ଧ ହେଇଗଲେ ବି ବିଶ୍ୱାସ କରି ପାରିଲାନି ସହଜେ

ଲାଗୁଥିଲା ଯେମିତି ହଜେଇ ଦେଇଛି ଜୀବନର ଶ୍ୱାସ ଟିକକ।

ଆଜି ଉମା ଦଦାର ଗୀତ ବାଜେ

"ମୋର୍ ପ୍ରିୟା ସଙ୍ଗେ ମୋର୍ ମୁଲାକାତ କରେଇ ଦେ"

ଶୁଣି ଏ ହୃଦୟ ହୁକ୍ ବୁକେଇ ହୁଏ

ଜାଣେନି, କଣ ପାଇଁ ଏମିତି ହୁଏ?

ସେ ଏତେ ଆପଣାର ହେଇ ବି

ତା' ନାଁ, ତା' ଠିକଣା, ତା' ବୃତ୍ତି ଠିକ୍ ସେ ଜାଣି ପାରିଲିନି

ଫିର୍ ଭି ସମ୍ପର୍କରେ ସେତୁ ଭାଙ୍ଗି ଏତେ ଦିନ ପରେ ବି

କାଇଁ କେଜାଣି ମନେ ପଡ଼େ ସେ ତୁହାକୁ ତୁହାକୁ।

ଟିଆ ଦିଆ ନିଆ ହେଇଥିଲା

ପରବରେ ଭେଟିବା

ହେଲେ ଭେଟି ହେଲାନି 

ବୋଧେ ସମୟ ଅନୁମତି ଦେଲାନି।

ଆଜି ପରବରେ ବାଜା ଡିଙ୍ଗ ଡାଙ୍ଗ ବାଜେ

ମଞ୍ଚ ତଥା ସେଇ ପରିବେଶ ଖାଲି ଦୁଲକେ ନି

ଦୁଲକି ଯାଏ ଏ ଛାତି ବି।

ପ୍ରେମର ସଂଜ୍ଞା ତଥା ପ୍ରେମର 'ପ' ବି ଜାଣିନି ମୁଁ

ତଥାପି ବେଳେ ବେଳେ ଲାଗେ

ସେ ବୋଧେ ତା' ଗୀତର ସୁରରେ

ଆଉ ପ୍ରେମର ମହକେ

ଅଭିମନ୍ତ୍ରିତ କରି ପକେଇଛି ମୋତେ।

ସେ ଦେଓମାଲିର ପରୀଟେ ଥିଲା

ଗାଁରେ ମହକୁଥିବା ମଲ୍ଲୀଟେ ଥିଲା

ସେ ବିଦ୍ୟୋତ୍ତମା ଥିଲା

ସେ କିତି କିତି ଖେଳୁଥିବା ଛୋଟ ଝିଅଟେ ଥିଲା

ମୋ ପାଇଁ ଲକ୍ଷେରେ ଗୋଟେ ହୀରାଟେ ଥିଲା।

କ୍ରମଶଃ...

~ବିଷ୍ଣୁ

(ରେଳ ଯାତ୍ରା, ସେ ଆଉ ତା'କୁ ମନେପକାଇଥିବା ଜଣେ ମଣିଷ)


Post a Comment (0)
Previous Post Next Post